Unknown

 

 

 

 

 

 

 

 

 

 

ଦୂରଦେଶର ପିଲାଙ୍କ କଥା

ସାଭାନା ଅଞ୍ଚଳ : ନିଗ୍ରୋ ପିଲା

ଅଧିରାଜ ମୋହନ ସେନାପତି

 

ସାଭାନା ଅଞ୍ଚଳ : ନିଗ୍ରୋ ପିଲା

Image

 

ଏଥର କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରେ ବସି ପଶ୍ଚିମକୁ ଉଡ଼ିଗଲେ । ଦୂରରୁ କେତେଗୁଡ଼ିଏ ଗଛ ଦେଖ‌ିଲେ । ଆଉ କିଛିଦୂର ଉଡ଼ିଯାଇ ଦେଖ‌ିଲେ, ଝଙ୍କାଳିଆ ଘାସବୁଦା ଆଉ ତା’ ମଝିରେ ମଝିରେ ଗୁଡ଼ାଏ ବଡ଼ ବଡ଼ ଗଛ । ସେଠାରୁ ଦୂରକୁ ଅନାଇଲେ ଘୋର ଜଙ୍ଗଲ ଦିଶୁଥାଏ । ଏହିଠାରେ କାହ୍ନୁ ଓ ଜହ୍ନମାମୁଁ ତଳକୁ ଓହ୍ଲାଇଲେ ।

 

ଘାସଗୁଡ଼ିକ ପୁରୁଷେ ଉଚ୍ଚ ହୋଇଥାଏ । ତା’ ଭିତରୁ କିଛି ଦେଖାଯାଉ ନ ଥାଏ ।

 

ଜହ୍ନମାମୁଁ ଓ କାହ୍ନୁ ଭାବିଲେ–କୁଆଡ଼େ ଯିବା ?

 

କାହ୍ନୁ କାନ୍ଦି ପକାଇଲା । କହିଲା–ମାମୁଁ ! ଆମେ ବାଟବଣା ହୋଇଗଲେଣି । କୁଆଡ଼େ ଯିବା ?

 

ଜହ୍ନମାମୁଁ ତା’ ପିଠିରେ ହାତ ଥାପୁଡ଼େଇ କହିଲେରେ କାହ୍ନୁ ! ଏପରି ଛାନିଆ ହେଲେ ଚଳିବ ?

 

କାହ୍ନୁ ଓ ଜହ୍ନମାମୁଁ ସେଠାରୁ ପୁଣି ଉଡ଼ି ଉଡ଼ି ଯାଇ ଆଉ ଗୋଟିଏ ଜାଗାରେ ପହଞ୍ଚିଲେ-। ସେଠାରୁ କେତେଗୁଡ଼ିଏ କୁଡ଼ିଆ ଘର ଦିଶିଲା । ଘର ଯେତେବେଳେ ଅଛି, ମଣିଷ ନିଶ୍ଚୟ ଥିବେ–ଏହା ଭାବି ସେହି ଜାଗାରେ ଦୁହେଁଯାକ ଓହ୍ଲାଇଲେ ।

Image

 

ଜହ୍ନମାମୁଁ କହିଲେ–ହେଇ ଦେଖିଲୁଣି କାହ୍ନୁ ! ଏହି ଲୋକମାନେ କ’ଣ କରୁଛନ୍ତି ?

 

କାହ୍ନୁ–ହଁ ସତ ତ ! କାଠ ଓ ଘାସରେ ସେମାନେ ଗୋଟିଏ କୁଡ଼ିଆ ଘର ତିଆରି କରୁଛନ୍ତି ।

 

କାହ୍ନୁ ଓ ଜହ୍ନମାମୁଁ କିଛିକ୍ଷଣ ଠିଆହୋଇ ଘର ତିଆରି ହେଉଥ‌ିବାର ଦେଖ‌ିଲେ ।

 

କିଛିଦୂରରେ ଆଉ ଗୋଟାଏ କୁଡ଼ିଆ ଦେଖାଗଲା ।

 

କାହ୍ନୁ କହିଲା–ମାମୁଁ ଚାଲ, ସେହି କୁଡ଼ିଆ ପାଖକୁ ଯିବା ।

 

Image

ନିଗ୍ରୋମାନଙ୍କ ଘର

 

ଜହ୍ନମାମୁଁ–ହଁ, ଚାଲ । ଆମେ ଥକି ପଡ଼ିଲେଣି । ସେ କୁଢ଼ିଆଟିରେ କେହି ଲୋକବାକ ଥ‌ିବେ । କୁଡ଼ିଆରେ ଟିକିଏ ବିଶ୍ରାମ ନେବା ।

 

କାହ୍ନୁ ଓ ଜହ୍ନମାମୁଁ ସେହି କୁଡ଼ିଆ ପାଖକୁ ଗଲେ । ବାହାରୁ ଦେଖ‌ିଲେ ଯେ କୁଡ଼ିଆର ଛାତଟି ପତ୍ରରେ ଛାଉଣି କରାହୋଇଛି । ଦୁଆରଟି ଖୁବ୍ ଅଣଓସାରିଆ । ଦୁଆର ମୁହଁରେ ଖଣ୍ଡିଏ ତାଟି ଆଉଜି ଦିଆହୋଇଛି ।

 

ଜହ୍ନମାମୁଁ ଡାକ ପକାଇଲେ–ଘରେ କିଏ ଅଛ ହୋ !

 

ଡାକ ଶୁଣି ଘର ଭିତରୁ ଜଣେ ତ୍ରିପଣ୍ଡ କାଳିଆ ପୁରୁଷଲୋକ ତାଟିଟାକୁ ଆଡ଼େଇ ଦେଇ ଦୁଆର ମୁହଁରେ ହାମୁଡ଼ି ହାମୁଡ଼ି ବାହାରି ଆସିଲା ।

 

କାହ୍ନୁ ଜହ୍ନମାମୁଁଙ୍କୁ କହିଲା–ମୁଁ ଏଡ଼େ କଳାଲୋକ କେବେ ଦେଖି ନାହିଁ ।

 

ଜହ୍ନମାମୁଁ କହିଲେ–ଏମାନେ ନିଗ୍ରୋ ଜାତିର ଲୋକ । ଏଠାରେ ଖୁବ ଟାଣୁଆ ଖରା ହୁଏ । ଏମାନଙ୍କ ଚମ କଳା ବୋଲି ଖରା କାଟେ ନାହିଁ ।

 

ନିଗ୍ରୋ ଲୋକଟି ପଚାରିଲା–ତମେ ଦୁଇଜଣ କୁଆଡ଼େ ଆସିଛ ? କାହାକୁ ଖୋଜୁଛ ?

 

ଜହ୍ନମାମୁଁ କହିଲେ–ଆମେ ତମ ଦେଶକୁ ବୁଲିବାକୁ ଆସିଛୁ । ଏ ଗୋଟାଏ ନୂଆ ଦେଶ-। ଏ ଦେଶର ହାଲଚାଲ ବୁଝିଯିବୁ ।

 

ନିଗ୍ରୋ–ଆମର ସୌଭାଗ୍ୟ, ତମେ ଦୁଇଜଣ ଆମ ଘରକୁ ଆଜି ଆସିଛ ।

 

ଏହା କହି ନିଗ୍ରୋଲୋକଟି କାହ୍ନୁ ଓ ଜହ୍ନମାମୁଁଙ୍କୁ ଘର ଭିତରକୁ ଡାକିନେଲା ।

କାହ୍ନୁ ଓ ଜହ୍ନମାମୁଁ ଦୁଆର ବାଟେ ହାମୁଡ଼ି ହାମୁଡ଼ି କୁଡ଼ିଆ ଭିତରକୁ ଗଲେ । କୁଡ଼ିଆ ଭିତରଟା ଅନ୍ଧାର । ଅନ୍ଧାରରେ କାହ୍ନୁ ଓ ଜହ୍ନମାମୁଁଙ୍କୁ କିଛି ଦେଖାଯାଉ ନ ଥାଏ । କିଛିକ୍ଷଣ ପରେ ସେମାନେ ଠଉରେଇଲେ–ଗୋଟିଏ ନିଗ୍ରୋ ସ୍ତ୍ରୀଲୋକ ତା’ର ସାନ ଛୁଆଟିକୁ କୋଳରେ ଧରି ବସିଛି ।

କାହ୍ନୁ ଓ ଜହ୍ନମାମୁଁ ଦେଖିଲେ କୁଡ଼ିଆ ଘରଟିରେ ଗୋଟିଏ ହେଲେ ଝରକା ନାହିଁ ।

ଜହ୍ନମାମୁଁ କହିଲେ–ଘରେ ଝରକା ନାହିଁ, ଭିତରଟା ଅନ୍ଧାର ହୋଇଛି । ଏପରି ଅନ୍ଧାରିଆ ଘରେ ରହିଛ କିପରି ?

ନିଗ୍ରୋ–ଝରକା ଥିଲେ ସେ ବାଟରେ ଟାଣୁଆ ଖରା ଘର ଭିତରେ ପଡ଼ନ୍ତା । ଘର ଭିତରଟା ତାତି ଯାଆନ୍ତା । ଝରକା ନାହିଁ ବୋଲି ଏଡ଼େ ଥଣ୍ଡା ରହିଛି ।

କାହ୍ନୁ ଜହ୍ନମାମୁଁ ଦେଖିଲେ ଘର କାନ୍ଥରେ ଅନେକ ଗୁଡ଼ିଏ ଡାଲା, ପାଛିଆ ଝୁଲୁଛି । ଚଟାଣରେ ଗହମ, ମକା ପେଷିବା ପାଇଁ ପଥରର ଚକି ପଡ଼ିଛି । ଆଉ ଦେଖ‌ିଲେ, ଘର ଭିତରେ କେତେଗୁଡ଼ିଏ କାଠର ଥାଳିଆ, ଚାମୁଚ, ମାଟିହାଣ୍ଡି ଓ ଘର ଓଳାଇବା ପାଇଁ ମୁଠାଏ ଛାଞ୍ଚୁଣୀ ରହିଛି-

କାହ୍ନୁ ଛୁଆଟି ପାଖକୁ ଯାଇ ଦେଖିଲା, ତା’ ଦେହର ବର୍ଣ୍ଣ ହାଣ୍ଡିକଳା ପରି, ଓଠ ଦୁଇଟି ମୋଟା, ନାକ ଚେପ୍‌ଟା, ଦାନ୍ତଗୁଡ଼ିକ ମଲ୍ଲୀଫୁଲ ପରି ଧଳା । ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ବୋଝେ ବାଳ, ଆଖୁ ଦୁଇଟି ଜୁଳୁ ଜୁଳୁ ଦିଶୁଥାଏ ।

କାହ୍ନୁ ପଚାରିଲା–ଘରର ଆଉ ପିଲାମାନେ କାହାଁନ୍ତି ?

ନିଗ୍ରୋ ମା’ କହିଲା–ମୋର ଏଇ ଗୋଟିକ କଳାମାଣିକ । ମୋ ଭଉଣୀ ଘରକୁ ଚାଲ । ତା’ର ଦୁଇଟି ଝିଅ ଦୁଇଟି ପୁଅ ଅଛନ୍ତି, ଦେଖିବ ।

ନିଗ୍ରୋ ମା’ ତା’ ଛୁଆଟିକୁ ଖଣ୍ଡେ ଲୁଗାରେ ପିଠିରେ ବାନ୍ଧିଦେଲା ।

କାହ୍ନୁ କହିଲା–ପିଲାଟିକୁ ଘରେ ରଖାଯାଉ ନାହଁ ?

ନିଗ୍ରୋ ମା’–ନା ତାହା କିମିତି ହେବ ? ମୁଁ ଯେଉଁଆଡ଼େ ଯାଏ, ପିଲାଟିକୁ ସାଙ୍ଗରେ ନେଇଯାଏ ।

କାହ୍ନୁ ଓ ଜହ୍ନମାମୁଁ ନିଗ୍ରୋ ମା’ ସାଙ୍ଗରେ ତା’ ଭଉଣୀ ଘରକୁ ଗଲେ । ସେମାନେ ଦେଖୁଲେ, ଦୁଇଜଣ ସ୍ତ୍ରୀଲୋକ ଉଦୁଖଳରେ ଧାନ କୁଟୁଛନ୍ତି । ତାଙ୍କ ପିଠିରେ ଗୋଟିଏ ଗୋଟିଏ ସାନପିଲା ବନ୍ଧା ହୋଇଛନ୍ତି । ସ୍ତ୍ରୀଲୋକ ଦୁଇଜଣ ହାତରେ ଦୁଇଟି କାଠର ଦଣ୍ଡା ଧରିଥାନ୍ତି । ଉଦୁଖଳରେ ଦୁମ୍ କରି ପାହାର ପକାଇଲା ବେଳକୁ ପିଠିଆଡ଼େ ପିଲା ଦୁଇଟି ଚେଇଁ ଉଠୁଥାନ୍ତି । ମା’ ଥକି ପଡ଼ିଲେ ପିଲାଟିକୁ ପିଠିରୁ କାଢ଼ି ଗୋଟିଏ ପତ୍ରଗଦା କରି ତା’ଉପରେ ଶୁଆଇ ଦିଏ । ନିଗ୍ରୋମାନେ ପାଟିତୁଣ୍ଡକୁ ଭଲ ପାଆନ୍ତି । ପିଲା କାନ୍ଦିଲେ କେହି ତା’ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ ।

 

ନିଗ୍ରୋ ମା’ର ଭଉଣୀ, କାହ୍ନୁ ଓ ଜହ୍ନମାମୁଁଙ୍କୁ ଘର ଭିତରକୁ ଡାକିଲା ।

 

ଜହ୍ନମାମୁଁ ଅନ୍ଧାର ଘର ଭିତରକୁ ଯିବାପାଇଁ ଅମଙ୍ଗ ହେଲେ ।

 

କାହ୍ନୁ କହିଲା–ନିଗ୍ରୋ ମା’ ଡାକୁଛି । ଆସ, ନ ଗଲେ ସେ ମନ ଊଣା କରିବ ।

ଘର ଭିତରକୁ ଯାଇ କାହ୍ନୁ ଓ ଜହ୍ନମାମୁଁ ଦେଖୁଲେ ଜଣେ ବାଳିକା ଛାଞ୍ଚୁଣୀରେ ଘର ଓଳାଉଛି । ତା’ ଭଉଣୀ କାଠ ଓ ପାଣି ଆଣିବାକୁ ଯାଇଛି ।

Image

କାହ୍ନୁ ଓ ଜହ୍ନମାମୁଁ ଦେଖିଲେ ଏ ଲୋକମାନେ ବେଶି ଲୁଗାପଟା ପିନ୍ଧି ନାହାଁନ୍ତି । ପିଲାମାନଙ୍କ ଦେହରେ ଆଦୌ ଲୁଗାପଟା ନ ଥାଏ । ଏ ଦେଶରେ ଏତେ ଗରମ ହୁଏ ଯେ, ବେଶୀ ଲୁଗାପଟା ପିନ୍ଧିବାକୁ ଭଲ ଲାଗେ ନାହିଁ । ତେବେ ବଡ଼ ହେଲେ ଲଜ୍ଜା ନିବାରଣ ପାଇଁ ଯେତିକି ଲୁଗା ଦରକାର ଏମାନେ ସେତିକି ମାତ୍ର ଲୁଗା ପିନ୍ଧନ୍ତି । ପୁରୁଷ ଲୋକମାନେ ଅଣ୍ଟାରେ ଖଣ୍ଡେ ଡୋରି ବାନ୍ଧିଦେଇ ତା’ ଦେହରୁ କୌପୀନ ପରି ଖଣ୍ଡେ କନା ସାମନାରେ ଝୁଲାଇ ଦିଅନ୍ତି । ଏଥ‌ିରେ ନାନାରଙ୍ଗର ମାଳିସବୁ ଖଞ୍ଜା ହୋଇଥାଏ । ସ୍ତ୍ରୀଲୋକମାନେ ଖଣ୍ଡେଲୁଗା ଛାତିଠାରୁ ଆଣ୍ଠୁ ପର୍ଯ୍ୟନ୍ତ ବେଢ଼ିଦେଇ ଥାଆନ୍ତି । ସ୍ତ୍ରୀଲୋକ ଓ ବାଳିକାମାନେ ମାଳି ଗୁନ୍ଥି ବେକରେ ଓ ହାତରେ ପିନ୍ଧନ୍ତି । ବାଳିକାମାନେ ହାତରେ ବଳା ପିନ୍ଧନ୍ତି । ଗୋଟାଏ ପ୍ରକାର ଲମ୍ବା ଘାସକୁ ଗୁଡ଼େଇ ଗୁଡ଼େଇ ସେମାନେ ନିଜ ହାତରେ ଏ ପ୍ରକାର ବଳା ତିଆରି କରନ୍ତି ।

ଏତେବେଳକୁ ଜହ୍ନମାମୁଁ ଭୋକରେ ଛଟପଟ ହେଲେଣି । ସେ କାହାକୁ ପଚାରିଲେ–ଆମେ ଖାଇବା କଅଣ ?

ଏହା ଶୁଣି ନିଗ୍ରୋ ସ୍ତ୍ରୀଲୋକଟି ଗୋଟାଏ ଫେଣା ପାଚିଲା କଦଳୀ ଆଣି ଦେଲା । ଏଗୁଡ଼ିକ ବଡ଼ ବଡ଼ ପୋଖତ କଦଳୀ । କାହ୍ନୁ ଦୁଇଟା ଖାଇଲା; ଜହ୍ନମାମୁଁ ବାକିତକ ଖାଇଲେ । ତେବେ ବି ତାଙ୍କ ଭୋକ ମଲା ନାହିଁ । ସେ ଆହୁରି ଫେଣାଏ କଦଳୀ ମାଗି ଖାଇଲେ ।

ଏତକ ଖାଇବା ପରେ ଜହ୍ନମାମୁଁଙ୍କ ପେଟ ଥଣ୍ଡା ପଡ଼ିଲା । କାହ୍ନୁ କହିଲା–ମାମୁଁ ! ଆସ ବାହାରକୁ ଯିବା । ପିଲାମାନେ କ’ଣ କରୁଛନ୍ତି ଦେଖିବା ।

କାହ୍ନୁ ଓ ଜହ୍ନମାମୁଁ ଘରୁ ବାହାରକୁ ଆସିଲେ । ବାହାରେ ଭାରି ଗରମ ହେଉଥାଏ । ଜହ୍ନମାମୁଁ କହିଲେ–ମୋ ଦେହ ପୋଡ଼ି ଜଳି ଯାଉଛି ।

ଜଣେ ନିଗ୍ରୋ ବାଳକ କହିଲା–ତେବେ ଆସ, ଗାଧୋଇପଡ଼ ।

କାହ୍ନୁ ଓ ଜହ୍ନମାମୁଁ ନଈକୁ ଗାଧୋଇବାକୁ ଗଲେ । ବାଳକଟି ବାଟ କଢ଼ାଇ ଦୁହିଁଙ୍କୁ ନଈକୂଳକୁ ନେଇଗଲା । ନଈପାଣି ବେଶ୍ ଥଣ୍ଡା ହୋଇଥାଏ । କାହ୍ନୁ ଓ ଜହ୍ନମାମୁଁ ମନଇଚ୍ଛା ଗାଧୋଇଲେ ।

 

ବାଳକଟି ଖଣ୍ଡେ ପଥର ହାତରେ ଧରି କହିଲା–ଏ ପଥର ଖଣ୍ଡିକ ନିଅ ।

 

କାହ୍ନୁ–ପଥର କ’ଣ କରିବୁ ?

 

ନିଗ୍ରୋ ବାଳକ–ଏଥରେ ଗୋଡ଼ହାତ ଘଷିବ ।

 

କାହ୍ନୁ ଓ ଜହ୍ନମାମୁଁଙ୍କୁ ଏ କଥାଟା ବଡ଼ ଅଡ଼ୁଆଲାଗିଲା । କିନ୍ତୁ ବାଳକଟି ପଥରଖଣ୍ଡକରେ ତା’ର ଗୋଡ଼ହାତ ରଗଡ଼ି ଘଷିଲା ।

 

ବାଳକମାନଙ୍କ ଭିତରୁ ଜଣକର ମୁଣ୍ଡ ଲଣ୍ଡାହୋଇଥାଏ ।

 

ଜହ୍ନମାମୁଁ ପଚାରିଲେ–ଏ ବାଳକଟିର ମୁଣ୍ଡରେ ବାଳ ନାହିଁ କାହିଁକି ?

 

ନିଗ୍ରୋ ବାଳକ–ତା’ର ବାପ ଗଲା ସପ୍ତାହରେ ମରି ଯାଇଛି । ପରିବାରରେ କେହି ମରିଗଲେ ଆମେ ଲଣ୍ଡା ହୋଇପଡ଼ୁ । ଏହା ଶୋକର ଚିହ୍ନ ।

 

ଗାଧୋଇ ସାରି କାହ୍ନୁ ଓ ଜହ୍ନମାମୁଁ ନିଗ୍ରୋ ସ୍ତ୍ରୀଲୋକର ଭଉଣୀ ଘରକୁ ଆସିଲେ ।

 

ଗାଧୋଇବା ପରେ ଜହ୍ନମାମୁଁଙ୍କୁ ପୁଣି ଭୋକ ଲାଗିଲା । ସେ ବାଳକ ଦୁଇଜଣଙ୍କୁ ପଚାରିଲେ–ଆମେ ଖାଇବା କେତେବେଳେ ?

 

ସେମାନେ କହିଲେ–ଆମେ ଦୁଇଥର ଖାଉଁ–ଥରେ ସକାଳେ, ଆଉ ଥରେ ଉପରଓଳି । ତୁମକୁ ଟିକିଏ ଅପେକ୍ଷା କରିବାକୁ ହେବ ।

 

ଜହ୍ନମାମୁଁ–ଆଚ୍ଛା, ଖାଇବାବେଳେ କ’ଣ ଖାଇବାକୁ ଦେବ ?

 

ବାଳକ–ମକା ଜାଉ ।

 

ଜହ୍ନମାମୁଁ–ବେଶ୍, ସକାଳେ ତମେମାନେ କ’ଣ ଖାଇଛ ?

 

ବାଳକ–କଞ୍ଚା ମକା, ପାଚିଳା କଦଳୀ ଆଉ ଚିନିଆଳୁ । ଆମ ମା’ ସକାଳୁ ରନ୍ଧାରନ୍ଧି କରିପାରନ୍ତି ନାହିଁ ।

 

କାହ୍ନୁ ପଚାରିଲା–ମଝିରେ ତମେ ଆଉ କ’ଣ କିଛି ଖାଅ ନାହିଁ ?

 

ବାଳକ–ହଁ, ଯାହା ପାଉ ତାହା ଖାଉ ।

 

ଏହା କହି ବାଳକ ଦୁଇଜଣ କ୍ଷେତକୁ ଦଉଡ଼ି ଦଉଡ଼ି ଗଲେ । କ୍ଷେତରୁ କେତେ ଖଣ୍ଡ ଆଖୁ ନେଇ ଆସିଲେ ।

 

କାହ୍ନୁ ଖଣ୍ଡେ ଆଖୁ ନେଇ ଚୋବାଇଲା । ଜହ୍ନମାମୁଁ ଦୁଇଖଣ୍ଡ ନେଲେ । ଚୋବାଇ ଚୋବାଇ ତାଙ୍କ ଦାନ୍ତ ଥକିଗଲା ।

 

କାହ୍ନୁ ନିଗ୍ରୋ ବାଳକଙ୍କୁ କହିଲା, ଆସ ଖେଳିବା !

 

ବାଳକ ଦୁଇଜଣ କାହ୍ନୁକୁ ଗୋଟିଏ ଓ ଜହ୍ନମାମୁଁଙ୍କୁ ଗୋଟିଏ ଧନୁଶର ଦେଇ କହିଲେ–ଏହି ଶର ମାରି ଚଢ଼େଇ ଶିକାର କର ।

 

କାହ୍ନୁ ଓ ଜହ୍ନମାମୁଁ ଥରକୁ ଥର ଶର ମାରିଲେ । ଗୋଟିଏ ହେଲେ ଶର ଚଢ଼େଇଙ୍କ ଦେହରେ ବାଜିଲା ନାହିଁ ।

Image

ଶିକାରୀ

ତା’ପରେ ବାଳକ ଦୁଇଜଣ ଘାସ ଭିତରେ ଭୂଇଁରେ ଶୋଇପଡ଼ି ଚଢ଼େଇମାନେ ଯେପରି ରାବନ୍ତି ସେହିପରି ଶବ୍ଦ କଲେ । ଏ ଶବ୍ଦ ଶୁଣି ଚଢ଼େଇମାନେ ପାଖକୁ ଆସିଲେ । ସେମାନେ ଶର ମାରି ଅନେକଗୁଡ଼ାଏ ଚଢ଼େଇ ଶିକାର କଲେ ।

 

ଜହ୍ନମାମୁଁ ପଚାରିଲେ–ଏ ଚଢ଼େଇଗୁଡ଼ିକ ହେବ କଅଣ ?

 

ନିଗ୍ରୋ ବାଳକ–ଆମେ ଏଥିରେ ରସା ତିଆରି କରି ଜାଉ ସାଙ୍ଗରେ ଖାଇବୁ ।

 

କାହ୍ନୁ ପଚାରିଲା–ଶର ବିନ୍ଧିବା କ’ଣ ତମ ଖେଳ ?

 

ବାଳକ–ଖାଦ୍ୟ ପାଇବା ପାଇଁ ଆମକୁ ଶିକାର କରିବାକୁ ହୁଏ । ଆମ ଖେଳ ସବୁ ଶିକାର ଖେଳ ।

 

ତା’ପରେ ବାଳକ ଦୁଇଜଣ ଠେକୁଆ ଶିକାରରେ ବାହାରିଲେ । ତାଙ୍କ ସାଙ୍ଗରେ ଦୁଇଟି କୁକୁର ଥାଆନ୍ତି । କୁକୁର ଦୁଇଟି ଠେକୁଆମାନଙ୍କୁ ଘାସବୁଦା ଭିତରୁ ତଡ଼ିଆଣିଲେ । ବାଳକମାନେ ବାଡ଼ିରେ ପିଟି ପିଟି ଠେକୁଆମାନଙ୍କୁ ମାରି ପକାଇଲେ ।

 

ଏପରି ଖେଳ କାହ୍ନୁ ଓ ଜହ୍ନମାମୁଁଙ୍କୁ ଭଲ ଲାଗିଲା ନାହିଁ । ତେଣୁ ବାଳକମାନେ ଆଉ ଗୋଟାଏ ପ୍ରକାର ଖେଳ ଖେଳିଲେ । କିନ୍ତୁ ଏ ବି ସେହି ଶିକାର ଖେଳ । ଜଣେ ବାଳକ ନିଜକୁ ହରିଣ ବୋଲାଇ ଘାସରେ ଲୁଚିଲା । ଅନ୍ୟ ବାଳକଟି ସିଂହ ହୋଇ ତା’ ପାଖକୁ ଚୁପଚୁପ ଆସିଲା ଓ ଝାମ୍ପମାରି ‘ହରିଣ ବାଳକ’କୁ ଧରି ପକାଇଲା ।

 

ବାଳକମାନେ ଆଉ ଗୋଟିଏ ଖେଳ ପାଣି ଭିତରେ ଖେଳିଲେ । ଜଣେ କୁମ୍ଭୀର ହେଲା-। ଅନ୍ୟ ଜଣକ ଆଣ୍ଠୁଏ ପାଣିରେ ଗାଧୋଉ ଥାଏ । ‘କୁମ୍ଭୀର ବାଳକ’ଟି ଝପଟି ଆସି ତା’ ଗୋଡ଼ ଧରି ପାଣି ଭିତରକୁ ଟାଣିନେଲା ।

 

ବାଳକମାନେ କାଦୁଅରେ କେତେଗୁଡ଼ିଏ କୁକୁର, ବିଲେଇ, ମୂଷା ଓ ସିଂହର ମୂର୍ତ୍ତି ତିଆରି କଲେ ଏବଂ ସେଗୁଡ଼ିକ ଖରାରେ ଶୁଖାଇ ଦେଲେ ।

 

ବାଳକମାନଙ୍କ ଖେଳ ଦେଖିସାରି କାହ୍ନୁ ଓ ଜହ୍ନମାମୁଁ ତାଙ୍କ ସାଙ୍ଗରେ ଘରକୁ ଆସିଲେ । ଘରର ପୁରୁଷ ଲୋକଟି ଏ ଦୁହିଁଙ୍କୁ ଘର ଭିତରକୁ ଡାକିନେଇ ବସାଇଲା ।

 

ଜହ୍ନମାମୁଁ କହିଲେ–ଆମେ ତମ ଘରକୁ କେତେବେଳୁ ଆସିଲୁଣି । ତମ ସାଙ୍ଗରେ ଦେଖାହୋଇ ନ ଥିଲା । ତମେ କୁଆଡ଼େ ଯାଇଥିଲ ।

Image

ନିଗ୍ରୋମାନଙ୍କ ପଶୁ ରଖିବା ଖୁଆଡ଼

 

ନିଗ୍ରୋ ପୁରୁଷ–ପଶୁ ପାଳିବା ମୋ କାମ । ଘାସ ପଡ଼ିଆରେ ମୋ ଗାଈଗୋରୁ, ଘୋଡ଼ା, ଓଟ, ଗଧ, ମେଣ୍ଢା, ଛେଳି ଚରୁଥିଲେ; ସେମାନଙ୍କୁ ଜଗିଥିଲି । ଏଠାରେ ସିଂହ ଓ ଆଉ କେତେକ ବଣୁଆ ଜନ୍ତୁ ଘାସବୁଦା ଭିତରେ ଲୁଚି ରହିଥାନ୍ତି । ସୁବିଧା ପାଇଲେ ପଶୁମାନଙ୍କୁ ଝାମ୍ପମାରି ନେଇ ଯାଆନ୍ତି ।

 

ସିଂହ କଥା ଶୁଣି କାହ୍ନୁ ଓ ଜହ୍ନମାମୁଁଙ୍କ ମନରେ ଭୟ ହେଲା । କାହ୍ନୁ ପଚାରିଲା–ତମ ପଶୁଗୁଡ଼ିକ ରାତିରେ କେଉଁଠାରେ ରହନ୍ତି ?

 

Image

 

ନିଗ୍ରୋ ପୁରୁଷ–ଆମ ଘର ଚାରିପାଖରେ କାଠର ଲମ୍ବା ଲମ୍ବା ଖୁଣ୍ଟ ପୋତି ଗୋଟିଏ ଖୁଆଡ଼ ତିଆରି କରୁଁ । ରାତିରେ ପଶୁପଲଙ୍କୁ ଏହି ଖୁଆଡ଼ ଭିତରେ ଛାଡ଼ିଦେଉ । ସିଂହ ବା ଆଉ କୌଣସି ବଣୁଆ ଜନ୍ତୁ ଖୁଆଡ଼ ଭିତରେ ପଶିପାରନ୍ତି ନାହିଁ ।

 

ଜହ୍ନମାମୁଁ ପଚାରିଲେ–ତା’ହେଲେ ପଶୁପାଳନ ତମ ମାନଙ୍କର ଏକମାତ୍ର ବ୍ୟବସାୟ, ନୁହେଁ କି ?

 

ନିଗ୍ରୋ ପୁରୁଷ–ନା, ଆମ ଭିତରୁ କେତେକ ଚାଷକାମ କରନ୍ତି । ସେମାନେ ଧାନ, ମକା, ଗହମ, ପନିପରିବା, କଦଳୀ, ଚିନାବାଦାମ, ଧୂଆଁପତ୍ର ଓ କପାଚାଷ କରନ୍ତି । ଏଠାରେ ହାତୀ ଓ ମାଙ୍କଡ଼ଙ୍କ ଉପଦ୍ରବ ଖୁବ୍ ବେଶୀ । ସେମାନେ ଫସଲ ସବୁ ଖାଇଯାଆନ୍ତି । ସେଥ‌ିପାଇଁ ବାଳକମାନେ ଢୋଲ ନେଇ ଖେତକୁ ଯାଆନ୍ତି ।

 

Image

 

ସେଠାରେ ଢୋଲ ବଜାଇ ଓ ପାଟିତୁଣ୍ଡ କରି ହାତୀ ଓ ମାଙ୍କଡ଼ଙ୍କୁ ଘଉଡ଼ାଇ ଦିଅନ୍ତି ।

 

ଜହ୍ନମାମୁଁ ପଚାରିଲେ–ତମେମାନେ ଯେଉଁସବୁ ଜିନିଷ ବ୍ୟବହାର କରୁଛ ,ସେଗୁଡ଼ିକ ମିଳେ କେଉଁଠାରେ ?

 

ନିଗ୍ରୋ ପୁରୁଷ–ଅଧିକାଂଶ ଜିନିଷ ଆମେ ହାତରେ ତିଆରି କରୁ । ଆମେ କପାଚାଷ କରୁ । କପାଫଳ ପାକଳ ହେଲେ ବୋଝରେ ପୂରାଇ ଘରକୁ ନେଇଆସୁ । ସ୍ତ୍ରୀଲୋକ ଓ ପିଲାମାନେ ତୁଳା ଭିତରୁ ମଞ୍ଜିଗୁଡ଼ିକ ବାହାର କରି ପକାନ୍ତି । ତା’ପରେ ତୁଳାରୁ ସୂତା କାଟି ସେମାନେ ହାତତନ୍ତରେ ଲୁଗା ବୁଣନ୍ତି ।

Image

 

ଜହ୍ନମାମୁଁ–ତମ ଘରେ ତ ଚମଡ଼ାରେ ତିଆରି ଅନେକ ପ୍ରକାର ଜିନିଷ ଅଛି ।

 

ନିଗ୍ରୋ ପୁରୁଷ–ହଁ, ସେଗୁଡ଼ିକୁ ସ୍ତ୍ରୀଲୋକମାନେ ତିଆରି କରିଛନ୍ତି । ଆମ ପଶୁଙ୍କ ପାଖରୁ ଯେଉଁ ଚମ ମିଳେ ତାହାକୁ କଷାଇ ସେଥ‌ିରୁ ସେମାନେ ଲଗାମ ଆଦି ଘୋଡ଼ାର ସାଜ, ଚପଲ, ଚମଡ଼ାର ପାତ୍ର ତିଆରି କରନ୍ତି । ଏ ପାତ୍ରଗୁଡ଼ିକରେ ଆମେମାନେ ଚର୍ବି, ଘିଅ, ମହୁ ଓ ଗହମ ପୂରାଇ ରଖୁ ।

Image

ତା’ଛଡ଼ା ଆମ ଭିତରୁ କେତେକ କମାର କାମ ଜାଣନ୍ତି । ସେମାନେ ଲୁହାରୁ ଖଣ୍ଡା, ଛୁରା, କଇଞ୍ଚି, ଛୁରୀ, ବର୍ଚ୍ଛା, କୋଡ଼ି, ଚୁଡ଼ି ଓ ଆଉ କେତେକ ପ୍ରକାର ଗହଣା ତିଆରି କରନ୍ତି । ଆମ କୁମ୍ଭୀର ଭାଇମାନେ ମାଟିର ନାନାପ୍ରକାର ପାତ୍ର ତିଆରି କରନ୍ତି ।

 

ଜହ୍ନମାମୁଁ କାହ୍ନୁକୁ କହିଲେ–ଦେଖୁଛୁ ତ କାହ୍ନୁ ! ଏ ନିଗ୍ରୋମାନେ କେତେ କେତେ କାରିଗରି ଜାଣନ୍ତି ?

 

ନିଗ୍ରୋ ପୁରୁଷଟି ପୁଣି କହିଲା–ଆମ ଭିତରୁ କେତେକ ଲୋକ ବେପାର ବଣିଜ କରନ୍ତି-। ଆମ ଦେଶ ଭିତର ଦେଇ ଦଳ ଦଳ ବଣିକ ଓଟପିଠିରେ ଜିନିଷପତ୍ର ବୋଝେଇ କରି ନେଇ ଯାଆନ୍ତି । ଏମାନେ ଯେଉଁଠାରେ ଛାଉଣି ପକାଇ ରହନ୍ତି, ସେଠାରେ ଜିନିଷପତ୍ରର କିଣାବିକା ହୁଏ-। ଅନେକଆଡ଼ୁ ଲୋକେ ଆସି ଜମା ହୁଅନ୍ତି । ସେଠାରେ ହାଟ ଓ ବଜାର ବସେ ।

Image

ଏ ହାଟରେ ଘୋଡ଼ା, ମେଣ୍ଢା, ଛେଳି, କୁକୁଡ଼ା, ଧାନଚାଉଳ, ଗହମ, ମକା, ପନିପରିବା, ପିଠା, ମିଠେଇ, ଲୁଣ, ଲୁଗାପଟା ଓ ଆଉ ଆଉ ଜିନିଷ କାରବାର ହୁଏ । ସ୍ତ୍ରୀଲୋକମାନଙ୍କ ପାଇଁ କାଚରେ ତିଆରି ମାଳି ଓ ହାର, ରୂପାର ମୁଦି, ବଳା ଏସବୁ ଜିନିଷ ବି ମିଳେ । ମେଣ୍ଢା ଛେଳି ଚମରୁ ଆମେ ଯେଉଁ ଚଟି ଓ ଚପଲ, ବୁଟଜୋତା ଓ ଘୋଡ଼ାର ସାଜ ତିଆରି କରୁ, ସେସବୁ ଏହି ହାଟକୁ ବିକିବାକୁ ନେଇଯାଉ ।

 

ଚାଷୀମାନେ ଚାଷ ସରଞ୍ଜାମ କିଣିବା ପାଇଁ, ଶିକାରୀମାନେ ବର୍ଚ୍ଛା, ଧନୁଶର କିଣିବା ପାଇଁ ଏହି ହାଟକୁ ଯାଆନ୍ତି । ତା’ଛଡ଼ା ମାଟିର ନାନାପ୍ରକାର ପାତ୍ର, ବେତର ବାଉଁଶିଆ, ଘାସ ତିଆରି ମସିଣା ଏସବୁ ଘରକରଣା ଜିନିଷ ବି ହାଟରେ ମିଳେ ।

 

ପୂର୍ବେ ଜିନିଷ ଅଦଳବଦଳ କରି କିଣାବିକା ହେଉଥିଲା । କେହି ହୁଏତ ଗୋଟିଏ ମେଣ୍ଢା ଦେଇ ଛୁରୀଟିଏ ଆଣୁଥିଲା । କେହି ଲୁଗା ଖଣ୍ଡେ ଦେଇ ବର୍ଚ୍ଛାଟିଏ ଆଣୁଥିଲା । ତା’ପରେ କଉଡ଼ି ଦେଇ ଜିନିଷ କିଣା ହେଲା । ଗୋଟିଏ ଜିନିଷ ପାଇଁ ଶହଶହ କଉଡ଼ି ଗଣିବାକୁ ହେଉଥିଲା । ଏପରି କିଣା ବିକାରେ ବଡ଼ ଅସୁବିଧା ହେଉଥିଲା । ଏବେ ଟଙ୍କା ପଇସାର କାରବାର ହେଲାଣି ।

 

ଏହିପରି କଥା କହୁ କହୁ ଖାଇବା ବେଳ ହେଲା । ନିଗ୍ରୋ ପୁରୁଷଟି କାହ୍ନୁ ଓ ଜହ୍ନମାମୁଁଙ୍କୁ ଖାଇବାକୁ ଡାକି ନେଇଗଲେ । ସମସ୍ତେ ଚଟାଣରେ ବସିଲେ । ନିଗ୍ରୋ ସ୍ତ୍ରୀଲୋକଟି ଗୋଟିଏ ପାତ୍ରରେ ମକା ଜାଉ ଆଣି ମଝିରେ ରଖିଦେଲା । ନିଗ୍ରୋ ପୁରୁଷ ହାତରେ ଗୋଟିଏ ଚାମଚ ଥାଏ । ସେ ସେହି ଚାମଚରେ ଜାଉ ଉଠାଇ ପ୍ରଥମେ ଖାଇବାକୁ ଆରମ୍ଭ କଲା । ତା’ପାଖରେ ଜହ୍ନମାମୁଁ ବସିଥାନ୍ତି । ତାଙ୍କ ହାତକୁ ଚାମଚଟି ବଢ଼ାଇଦେଲା । ଜହ୍ନମାମୁଁ ଚାମଚରେ ଜାଉ ନେଇ ଖାଇଲେ । ସେ ଖାଇସାରି କାହ୍ନୁକୁ ଚାମଚଟି ବଢ଼ାଇ ଦେଲେ । କାହ୍ନୁ ପାଖରେ ନିଗ୍ରୋ ବାଳକ ଦୁଇଜଣ ବସିଥାନ୍ତି । କାହ୍ନୁ ଖାଇସାରି ଜଣେ ବାଳକ ହାତକୁ ଚାମଚଟି ଦେଇଦେଲା । ସେ ଜଣକ ଖାଇସାରି ଅନ୍ୟ ବାଳକଟି ହାତରେ ଚାମଚଟି ଦେଇଦେଲା । ଏହିପରି ଖାଉ ଖାଉ ପାତ୍ରଟିରୁ ସବୁ ଜାଉ ସରିଗଲା ।

 

ଜହ୍ନମାମୁଁ ପଚାରିଲେ–ତୁମେମାନେ ପ୍ରତିଦିନ କ’ଣ ଏହିପରି ଜାଉ ଖାଅ ?

 

ନିଗ୍ରୋ ପୁରୁଷ–ନା, ଏ ଜାଉ ଆମର ଅତି ପ୍ରିୟ ଖାଦ୍ୟ । ଦିନେ ଦିନେ ଆମେ ଚାଉଳକୁ ଭାତ ରାନ୍ଧି ଖାଉ । ଆମ ପିଲାମାନେ ଚାଉଳଚୂନାରୁ ତିଆରି ପିଠା ଖାଇବାକୁ ଭାରି ଭଲ ପାଆନ୍ତି । ଆମର ଏଠାରେ ଖାଇବା ଜିନିଷର ଅଭାବ ନାହିଁ । ପନିପରିବା, ଫଳମୂଳ ପ୍ରଚୁର ପରିମାଣରେ ମିଳେ । ସେ ସବୁ ବି ଖାଉ ।

 

କାହ୍ନୁ ପଚାରିଲା–ମାଛ, ମାଂସ ?

 

ନିଗ୍ରୋ ପୁରୁଷ–ମାଛ ଏଠାରେ ମିଳେ ନାହିଁ । ଆମର ପଲ ପଲ ମେଣ୍ଢା ଛେଳି ଅଛନ୍ତି । ଇଚ୍ଛା କଲେ ଆମେ ମାଉଁସ ଖାଇ ପାରନ୍ତୁ । କିନ୍ତୁ ଏମାନଙ୍କୁ ହାଣି ଖାଇବାକୁ ଆମ ହାତ ଯାଏ ନାହିଁ ।

 

ଜାଉ ଖାଇ ସାରିଲା ପରେ ନିଗ୍ରୋ ସ୍ତ୍ରୀଲୋକଟି ଗୋଟିଏ ପାତ୍ରରେ ଦୁଧ ଆଣି ଦେଲା । ସମସ୍ତେ ପେଟ ପୂରାଇ ଦୁଧ ପିଇଲେ । ଜହ୍ନମାମୁଁଙ୍କ ପେଟ ପୂରିବା ପାଇଁ ପ୍ରାୟ ଦୁଇଲିଟର ଅନ୍ଦାଜ ଦୁଧ ଦରକାର ହେଲା ।

 

ଖୁଆପିଆ ସରିଲା ବେଳକୁ ବେଳ ବୁଡ଼ିଗଲାଣି । କାହ୍ନୁ ଜହ୍ନମାମୁଁଙ୍କୁ କହିଲା–ମାମୁଁ ! ଆଜି ଆମେ ଏ ଅବେଳରେ ଏଠାରୁ ଯିବା କିପରି ? ଆଜି ରାତିଟା ଏହିଠାରେ କଟାଇଦେବା । କାଲି ସକାଳେ ଏଠାରୁ ଫେରିଯିବା ।

 

କାହ୍ନୁ ବଡ଼ ଏକଜିଦିଆ ପିଲା । ଜହ୍ନମାମୁଁ ନାଚାର ହୋଇ କାହ୍ନୁ କଥାରେ ହଁ ଭରିଲେ ।

 

କାହ୍ନୁ ଜଣେ ନିଗ୍ରୋ ପିଲାକୁ କହିଲା, ହେ ଭାଇ ! ତମ ଦେଶର ଗୋଟିଏ ଗପ କହନ୍ତ କି, ଆମେ ଶୁଣନ୍ତୁ ।

 

ନିଗ୍ରୋ ବାଳକ କହିଲା–ଗୋଟିଏ ଠେକୁଆ ଗପ କହିବି, ଶୁଣ ।

Image

ଘାସବୁଦା ଭିତରେ ଗୋଟିଏ ଠେକୁଆ ବସା ବାନ୍ଧି ରହିଥାଏ । ତାକୁ ଭାରି ଶୋଷ ହେଲା । ସେ ନଈକୁ, ପାଣି ପିଇବାକୁ ଗଲା । ସେ ପାଣି ଭିତରେ ଗୋଟିଏ ଜଳହସ୍ତୀ ଦେଖିଲା । ସେଠାରୁ କିଛି ଦୂରରେ ନଈ କୂଳରେ ଗୋଟିଏ ହାତୀ ଠିଆ ହୋଇଥାଏ ।

 

ଠେକୁଆ ଜଳହସ୍ତୀକୁ କହିଲା–ମୁଁ କୂଳରେ ଅଛି । ତମେ ପାଣି ଭିତରେ ଅଛ । ଖଣ୍ଡିଏ ଦଉଡ଼ିର ଗୋଟେ ପାଖ ତମେ ଧରିବ, ଆର ପାଖ ମୁଁ ଧରିବି । ତମେ ଏହି ଦଉଡ଼ିକୁ ଟାଣି ମୋତେ ପାଣି ଭିତରକୁ ନେଇଯିବାକୁ ଚେଷ୍ଟା କରିବ । ମୁଁ ତମକୁ ପାଣିରୁ କୂଳକୁ ଟାଣିଆଣିବାକୁ ଚେଷ୍ଟା କରିବି ।

 

ଜଳହସ୍ତୀ କହିଲା–ତୁ ଟା ଏଡ଼େ ନିର୍ବୋଧ ! ଦେଖୁ ନାହୁଁ, ମୁଁ ତୋ ଠାରୁ କେଡ଼େ ବଡ଼ ? ତୁଚ୍ଛାଟାରେ ବଳ କଷାକଷି କରିବା ସିନା !

 

ଠେକୁଆ କହିଲା–ହଁ, ବୁଝିଲି ଯେ, ତମେ ଏଡ଼ିକି ଡରକୁଳା ? ମୋ ସାଙ୍ଗରେ ଯୁଝିବାକୁ ତମର ସାହସ ନାହିଁ । ଆସ, ଦଉଡ଼ି ଟାଣିବା । ବାଜି ରଖ, ଯେ ହାରିବ ସେ ଅନ୍ୟକୁ ହଜାରେ ଟଙ୍କା ଦେବ ।

 

ଜଳହସ୍ତୀ–ବେଶ୍, ତମ କଥା ରହିଲା । ଠେକୁଆ ଖଣ୍ଡେ ଦଉଡ଼ି ଖୋଜିବାକୁ ଗଲା । ନଈ କୂଳେ କୂଳେ ଅଳ୍ପ ବାଟ ଯାଇ ସେ ହାତୀକୁ ଭେଟିଲା I

 

ଠେକୁଆ ହାତୀକୁ କହିଲା–ମୁଁ ଖଣ୍ଡେ ଦଉଡ଼ି ଆଣି ଦେବି । ଏହାର ଗୋଟାଏ ମୁଣ୍ଡ ମୁଁ ଧରିବି, ଆର ମୁଣ୍ଡଟା ତମେ ଧରିବ । ମୁଁ ନଈ ପାଣିରେ ପଶି ତମକୁ ପାଣି ଭିତରକୁ ଟାଣିବି । ତମେ ମୋତେ କୂଳକୁ ଟାଣି ଆଣିବାକୁ ଚେଷ୍ଟା କରିବ ।

Image

 

ହାତୀ କହିଲା–ରେ ବୋକା ! ତୁ କି କଥା କହୁଛୁ ? ମୋର କ’ଣ ବୁଦ୍ଧି ସୁଦ୍ଧି ନାହିଁ ଯେ ପରି ବକଟେ ପ୍ରାଣୀ ସାଙ୍ଗରେ ବଳ କଷିବାକୁ ଯିବି ?

 

ଠେକୁଆ କହିଲା–ଭୀରୁ ! ମୋ ସାଙ୍ଗରେ ବଳ କଷିବାକୁ ଏତିକି ସାହସ ନାହିଁ ? ଆସ, ଦଉଡ଼ି ଟାଣିବା । ଦେଖାଯିବ କିଏ ଜିତିବ, କିଏ ହାରିବ । ଜିତାପଟ ମୋର ହେବ ତ, ମୋତେ ହଜାରେ ଟଙ୍କା ତମେ ନଗଦ ଗଣିଦେବ । ମୁଁ ହାରିଲେ ସାଙ୍ଗେ ସାଙ୍ଗେ ତମକୁ ହଜାରେ ଟଙ୍କା ଗଣିଦେବି ।

 

ହାତୀ ଭାରି ରାଗିଗଲା । କହିଲା–ତୁ ଯଦି ଇମିତି ଜିଦ୍ ଧରିଛୁ, ତୋ କଥା ରହୁ ।

 

ଠେକୁଆ ଖଣ୍ଡେ ଦଉଡ଼ି ଆଣିବାକୁ ସେଠାରୁ ଚାଲିଗଲା ।

 

ଠେକୁଆ ଖଣ୍ଡେ ମୋଟା, ଲମ୍ବା, ମଜବୁତ୍ ଦଉଡ଼ି ଆଣି ନଈକୂଳକୁ ଗଲା । ଦଉଡ଼ିର ଗୋଟାଏ ମୁଣ୍ଡ ଜଳହସ୍ତୀକୁ ଦେଇ କହିଲା–ଅପେକ୍ଷା କର ଏକ, ଦୁଇ, ତିନି କହିବା ମାତ୍ରେ ତୁମର ଯେତେ ଜୋର, ସେତେ ଜୋରରେ ଦଉଡ଼ି ଟାଣିବ ।

 

ଠେକୁଆ କ’ଣ କଲା କି, ନଈ କୂଳେ କୂଳେ ଯାଇ ଦଉଡ଼ିର ମୁଣ୍ଡଟି ହାତୀକୁ ଦେଇ କହିଲା–ଅପେକ୍ଷା କର ମୁଁ ନଈ ପାଣିରେ ପଶି ଏକ, ଦୁଇ, ତିନି କହିବି । ତମେ ସାଙ୍ଗେ ସାଙ୍ଗେ ଦଉଡ଼ି ଟାଣିବ ।

 

ଠେକୁଆ ଲମ୍ବା ଲମ୍ବା ଘନଘାସ ଭିତରେ ଚୁପ୍‍ କରି ଲୁଚିଗଲା । ଦଉଡ଼ିଟଣା ଆରମ୍ଭ କରିବା ପାଇଁ ଡାକଦେଲା–ଏକ, ଦୁଇ, ତିନି । ହାତୀ ଦଉଡ଼ିର ଗୋଟାଏ ମୁଣ୍ଡ ଧରି ଜୋର୍‌ରେ ଟାଣିଲା । ଜଳହସ୍ତୀ ପ୍ରାଣମୂର୍ଚ୍ଛା ଜୋରଦେଇ ଆର ମୁଣ୍ଡଟି ଝିଙ୍କିଲା । କିନ୍ତୁ କେହି କାହାକୁ ଯେଝା ସ୍ଥାନରୁ ଘୁଞ୍ଚାଇ ଦେଇ ପାରିଲେ ନାହିଁ ।

 

ଠେକୁଆ ଲୁଚିକରି ଏ ରହସ୍ୟ ଦେଖୁଥାଏ । ଜଳହସ୍ତୀ ଓ ହାତୀ ଦୁହେଁଯାକ ଖୁବ୍ ଜୋରରେ ଟଣାଟଣି ହେଉଥାନ୍ତି । ଠେକୁଆ ଲାଞ୍ଜ ଫୁଲାଇ ହସି ହସି ଏ ମଜା ଦେଖୁଥାଏ ।

 

ଦୁଇଟା ଯାକ ପ୍ରାଣୀ କେହି କାହାକୁ ଊଣା ନୁହଁନ୍ତି । ଏହିପରି ଟଣାଟଣି ହେଉଁ ହେଉଁ ସାରାଦିନ କଟିଗଲା ।

 

ସଞ୍ଜ ହେଲା । ଜଳହସ୍ତୀ ଭାବିଲା–ଖୁବ୍ ହେଲାଣି । ଆଉ ଅଧ‌ିକ ଟାଣିଲେ ଲାଭ କ’ଣ-? ହାତୀ ବି ଭାବିଲା–ଯା’ ହେବାର ହେଲାଣି । ଆଉ କେତେ ଟାଣିବି ?

 

ଏହିପରି ଭାବି ଦୁହେଁଯାକ ଏକାବେଳକେ ଦଉଡ଼ି ଦୁଇମୁଣ୍ଡ ଛାଡ଼ିଦେଲେ ।

 

ଏହା ଦେଖି ଠେକୁଆ ଘାସ ବୁଦା ଭିତରୁ ବାହାରି ଆସିଲା । ନଈକୂଳକୁ ଯାଇ ଜଳହସ୍ତୀକୁ କହିଲା–ତମେ ହାରିଲ, ହାରିଲ, ହାରିଲ !

 

ଜଳହସ୍ତୀ–ମୁଁ ମାନୁଛି । ତମ ବଳ ଏତେ ବେଶି ବୋଲି ମୋତେ ଜଣା ନ ଥିଲା !

 

ଠେକୁଆ କହିଲା–ଟଙ୍କା ଗଣିଦିଅ । ଜଳହସ୍ତୀ ସାଙ୍ଗେ ସାଙ୍ଗେ ଠେକୁଆକୁ ହଜାରେ ଟଙ୍କା ଗଣିଦେଲା ।

 

ଠେକୁଆ କୂଳେ କୂଳେ ଯାଇ ହାତୀ ପାଖରେ ପହଞ୍ଚିଲା । ପଚାରିଲା–କିଏ ହାରିଲା ? ତମେ ନା ମୁଁ ?

 

ହାତୀ ଆଉ କହିବ କଅଣ ? ଶୁଣ୍ଢ ହଲାଇ କଅଁଳ କଣ୍ଠରେ କହିଲା–ମୁଁ । ତମର ଏତିକି ବଳ !

 

ଠେକୁଆ କହିଲା–ଟଙ୍କା ଗଣିଦିଅ । ହାତୀ ହାତେ ହାତେ ହଜାରେ ଟଙ୍କା ଗଣିଦେଲା ।

 

ଠେକୁଆ ଦୁଇପଟରୁ ଦୁଇହଜାର ଟଙ୍କା ପାଇ ବଡ଼ଲୋକ ହୋଇଗଲା । ତା’ ସାଙ୍ଗଭାଇମାନଙ୍କୁ ତା’ର ବାହାଦୂରୀ କଥା କହିଲା । ସବୁ ଠେକୁଆ କହିଲେ–ସାବାସ୍‍, ସାବାସ୍ । ଗପଟି ଶୁଣି କାହ୍ନୁ, ଜହ୍ନମାମୁଁ ହସି ହସି ଗଡ଼ିଗଲେ । କାହ୍ନୁ ନିଗ୍ରୋ ବାଳକକୁ କହିଲା–ଏ ଗପଟି ମୁଁ ମୋ ଭାଇଭଉଣୀଙ୍କୁ ଓ ସାଙ୍ଗସାଥୀଙ୍କୁ କହିବି । ସେମାନେ ଗପ ଶୁଣି ଖୁବ୍ ଖୁସି ହେବେ ।

 

ଜହ୍ନମାମୁଁ କହିଲେ–କାହ୍ନୁ । ନିଗ୍ରୋମାନଙ୍କ ଦେଶରେ ଆମେ ଦୁଇଦିନ ରହିଲେଣି । ଏବେ ଏଠାରୁ ଫେରିଯିବା ।

 

କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରେ ଚଢ଼ି ଉଡ଼ି ଉଡ଼ି ଆସିଲେ । ଜହ୍ନମାମୁଁ କାହୂକୁ ତା’ ଘର ପଛଆଡ଼ ବାଡ଼ିରେ ଓହ୍ଲାଇ ଦେଇ ଆକାଶ ରାଇଜକୁ ଚାଲିଗଲେ ।

Image